ଅମ୍ଳଜାନ ସାନ୍ଦ୍ରତା

ରକ୍ତ ସଞ୍ଚାଳନ: ନାଲି = ଅମ୍ଳଜାନଯୁକ୍ତ ରକ୍ତ (ଧମନୀ), ନୀଳ = ଅମ୍ଳଜାନରହିତ ରକ୍ତ (ଶିରା)

ଅମ୍ଳଜାନ ସାନ୍ଦ୍ରତା (ଇଂରାଜୀ: Oxygen saturation) କୌଣସି ମାଧ୍ୟମରେ ଦ୍ରବିଭୂତ ହୋଇଥିବା ଅମ୍ଳଜାନର ଆପେକ୍ଷିକ ପରିମାଣ ନିର୍ଣ୍ଣୟ କରିବାର ସାଧନ ଅଟେ । ଏହାକୁ ଅମ୍ଳଜାନ ସେନସର ପରି ସ୍ୱତନ୍ତ୍ର ଡାକ୍ତରୀ ପ୍ରୋବଦ୍ୱାରା ମପାଯାଇଥାଏ । ଜଳ ପରି ତରଳ ମାଧ୍ୟମରେ ଏହାକୁ ଅପ୍ଟତୋଡ (Optode) ସେନସରଦ୍ୱାରା ମପାଯାଇପାରେ ।[] ଅମ୍ଳଜାନ ସାନ୍ଦ୍ରତା ପ୍ରତିଶତରେ ପ୍ରକାଶ କରାଯାଏ ଓ ଏହା ଏକକ ବିହୀନ ।

ଚିକିତ୍ସା ବିଜ୍ଞାନ

ଚିକିତ୍ସା ବିଜ୍ଞାନରେ ଅମ୍ଳଜାନ ସାନ୍ଦ୍ରତା ରକ୍ତରେ ଅକ୍ସିହିମୋଗ୍ଲୋବିନର ହାରକୁ ନିର୍ଣ୍ଣୟ କରିଥାଏ । ପ୍ରଶ୍ୱାସରେ ଗ୍ରହଣ କରାଯାଇଥିବା ଅମ୍ଳଜାନ ଫୁସଫୁସରେ ପହଞ୍ଚି ରକ୍ତରେ ଥିବା ହିମୋଗ୍ଲୋବିନ ଅଣୁସହ ବିବନ୍ଧିତ ହୋଇଯାଏ । ଏହି ରକ୍ତ ଶରୀରର କୋଷମାନଙ୍କ ପାଖରେ ପହଞ୍ଚି ଅମ୍ଳଜାନ ଆଧାରିତ ଶର୍କରା ପାଚନରେ ବ୍ୟବହୃତ ହୋଇ ଉର୍ଜା ଯୋଗାଇଥାନ୍ତି ।

ସାଧାରଣତଃ ମନୁଷ୍ୟଙ୍କ ଧମନୀର ରକ୍ତରେ ଅମ୍ଳଜାନର ସାନ୍ଦ୍ରତା ୯୫ରୁ ୧୦୦ ପ୍ରତିଶତ ରହିଥାଏ ।[] ଯଦି ଏହି ମାତ୍ରା ରକ୍ତରେ ଅମ୍ଳଜାନ ଧାରଣର ସର୍ବାଧିକ ପରିମାଣ ତୁଳନାରେ ୯୦ ପ୍ରତିଶତରୁ କମ ହୋଇଯାଏ, ଏହାକୁ ନିମ୍ନ ମାନି ହାଇପୋକ୍ସିମିଆ କୁହାଯାଇଥାଏ ।[] ସେହିପରି ରକ୍ତରେ ଅମ୍ଳଜାନ ସାନ୍ଦ୍ରତା ଅଧିକ ବଢ଼ିଗଲେ, ଅମ୍ଳଜାନର ଆଂଶିକ ଚାପ ବଢ଼ି ବ୍ୟକ୍ତି ହାଇପରକ୍ସିମିଆର ଶିକାର ହୋଇଥାନ୍ତି ।[][]

ଅମ୍ଳଜାନ ସାନ୍ଦ୍ରତା ମୁଖ୍ୟତଃ ଦୁଇଟି ମାନକଦ୍ୱାରା ନିରୂପଣ କରାଯାଏ:

ପଲସ ଅକ୍ସିମେଟ୍ରି (Pulse Oximetry)

ପଲସ ଅକ୍ସିମେଟ୍ରି ଅମ୍ଳଜାନର ସାନ୍ଦ୍ରତା ମାପ ପାଇଁ ସହଜ ଏବଂ ଯନ୍ତ୍ରଣାଶୂନ୍ୟ ଉପାୟ ଅଟେ । ଏଥିରେ ଶରୀର ମଧ୍ୟରେ କୌଣସି ଡାକ୍ତରୀ ଉପକରଣ ପ୍ରବେଶ ନ କରାଇ କେବଳ ଆଙ୍ଗୁଠି ଟିପ ବା କାନରେ ପ୍ରୋବ ରଖି ପରୋକ୍ଷ ଭାବେ ମପାଯାଏ । ପ୍ରୋବ ଦୁଇ ପ୍ରକାରର ଆଲୋକ ଉତ୍ସରୁ ନାଲି ଏବଂ ଅବରକ୍ତ ତଥା ଇନ୍ଫ୍ରାରେଡ଼ ରଶ୍ମି ରକ୍ତରେ ଅବଶୋଷଣ ହୁଏ । ଅବରକ୍ତ ରଶ୍ମିର ଅଧିକ ଅବଶୋଷଣ ଉତ୍ତମ ଅମ୍ଳଜାନ ସାନ୍ଦ୍ରତା ସଙ୍କେତ ଦେଉଥିବା ବେଳେ ଲାଲ ରଶ୍ମିରେ ଅଧିକ ଅବଶୋଷଣ ନିମ୍ନ ସାନ୍ଦ୍ରତା ଦର୍ଶାଇଥାଏ । ଅମ୍ଳଜାନଯୁକ୍ତ ହିମୋଗ୍ଲୋବିନ ତଥା ଅକ୍ସିହିମୋଗ୍ଲୋବିନ ଏବଂ ଅମ୍ଳଜାନରହିତ ହିମୋଗ୍ଲୋବିନ ତଥା ଡିଅକ୍ସିହିମୋଗ୍ଲୋବିନ ମଧ୍ୟରେ ଥିବା ପାର୍ଥକ୍ୟରୁ ଅମ୍ଳଜାନର ସାନ୍ଦ୍ରତା ଆକଳନ କରାଯାଏ ।[][]

ଧମନୀୟ ରକ୍ତରେ ଥିବା ଗ୍ୟାସ ପରୀକ୍ଷା (Arterial blood gas or ABG test)

ଏହି ପରୀକ୍ଷା ପାଇଁ ରକ୍ତ ଧମନୀରୁ କିଛି ରକ୍ତ ସିରିଞ୍ଜଦ୍ୱାରା ନିଆଯାଇ ଅମ୍ଳଜାନ ଓ ଅଙ୍ଗାରକାମ୍ଳର ଆଂଶିକ ଚାପ ଏବଂ ରକ୍ତର ଅମ୍ଳତା ନିର୍ଣ୍ଣୟ କରାଯାଏ । କ୍ରନିକ ଅବ୍‌ସ୍ଟ୍ରକ୍ଟିଭ୍ ପଲ୍‌ମୋନାରି ଡିଜିଜ (COPD) ଥିବା ରୋଗୀଙ୍କର ରକ୍ତରେ ଅମ୍ଳଜାନ ଓ ଅମ୍ଳତା ସ୍ତର କମ ଥାଏ ଏବଂ ଅଙ୍ଗାରକାମ୍ଳର ସ୍ତର ଅଧିକ ଥାଏ ।[]

ପରିବେଶ ବିଜ୍ଞାନ

ଜଳୀୟ ପରିବେଶରେ କୌଣସି ଜଳାଶ୍ରୟରେ ଦ୍ରବିଭୂତ ହୋଇଥିବା ଅମ୍ଳଜାନର ପରିମାଣ ସହ ସେହି ଜଳାଶ୍ରୟ ସନ୍ତୁଳିତ ସ୍ଥିତି ତଥା ନିର୍ଦ୍ଧିଷ୍ଟ ତାପମାତ୍ରା ଏବଂ ଚାପରେ ଧାରଣ କରିପାରୁଥିବା ସର୍ବାଧିକ ଅମ୍ଳଜାନର ହାରକୁ ଅମ୍ଳଜାନ ସାନ୍ଦ୍ରତା କୁହାଯାଏ । ଜଳଶ୍ରୋତମାନଙ୍କରେ ଅମ୍ଳଜାନ ସାନ୍ଦ୍ରତା ପ୍ରାୟ ୧୦୦ ପ୍ରତିଶତ ଥାଏ ।[]

ସ୍ଥିର ଜଳାଶ୍ରୟରେ ଆଲୋକସଂଶ୍ଳେଷଣଦ୍ୱାରା ଅମ୍ଳଜାନ ପ୍ରସ୍ତୁତ କରୁଥିବା ଉତ୍ପାଦକ ବା ବାୟୁମଣ୍ଡଳୀୟ ସ୍ଥିତିମାନଙ୍କର ପରିବର୍ତ୍ତନ ସହିତ ମନ୍ଥର ଗତିରେ ସନ୍ତୁଳନ ହେଉଥିବା ହେତୁ ଅମ୍ଳଜାନର ସାନ୍ଦ୍ରତା ୧୦୦ ପ୍ରତିଶତରୁ ବି ଅଧିକ ଥାଏ । ସ୍ଥିର ଜଳାଶ୍ରୟରେ ଥିବା କ୍ଷୟଶୀଳ ପଦାର୍ଥ ହେତୁ ଅମ୍ଳଜାନର ସାନ୍ଦ୍ରତା ବହୁତ କମିଯାଇଥାଏ କାରଣ ଅବାୟବୀୟ ଜୀବାଣୁ ଜୈବିକ ପଦାର୍ଥକୁ ଭଲଭାବେ ବିଘଟନ କରାଇପାରନ୍ତି ନାହିଁ ।[୧୦]

ଆହୁରି ଦେଖିବେ

ଆଧାର