କ୍ୟାମେରା
ଫଟୋ ବା ଚିତ୍ର ଉତ୍ତୋଳନ କରୁଥିବା ଉପକରଣକୁ କ୍ୟାମେରା କୁହାଯାଏ । ଏହା ଫିଲ୍ମ୍ ବା ଇଲେକ୍ଟ୍ରୋନିକ୍ର ବ୍ୟବହାର କରି ଚିତ୍ର ତିଆରି କରିଥାଏ । ଗୋଟିଏ ଲେନ୍ସ୍ ଫିଲ୍ମ୍ ବା ଇଲେକ୍ଟ୍ରୋନିକ୍ ଛବି ସୃଷ୍ଟି କରିଥାଏ ।
ଥରକରେ ଗୋଟିଏ ଛବି ଉତ୍ତୋଳନ କରୁଥିବା କ୍ୟାମେରାକୁ ସ୍ଥିରଚିତ୍ର ବା ଷ୍ଟିଲ୍ କ୍ୟାମେରା କୁହାଯାଏ । ଲଗାତାର୍ ଏକାଧିକ ଛବି ଉତ୍ତୋଳନ କରୁଥିବା କ୍ୟାମେରାକୁ ମୁଭି କ୍ୟାମେରା କୁହାଯାଏ । ଭିଡିଓ ନେଇ ପାରୁଥିବା କ୍ୟାମେରାକୁ ଭିଡିଓ କ୍ୟାମେରା ବା କ୍ୟାମ୍କୋଡର୍ କୁହାଯାଏ । ଫୋନ୍ରେ କ୍ୟାମେରା ଥିଲେ ତାହାକୁ କ୍ୟାମେରା ଫୋନ୍ କୁହାଯାଏ ।
କ୍ୟାମେରା ଏମିତି ଏକ ବାକ୍ସ ଯାହା ମଧ୍ୟକୁ ନ ଚାହିଁଲା ପର୍ଯ୍ୟନ୍ତ ଆଲୋକ ପ୍ରବେଶ କରିପାରେ ନାହିଁ । କ୍ୟାମେରାର ଏକ ପାର୍ଶ୍ୱରେ ଆଲୋକ ପ୍ରବେଶ ପାଇଁ ଏକ ଛିଦ୍ର ଥାଏ, ଯାହାକୁ ଆପେରେଚର୍ କୁହାଯାଏ । ଅନ୍ୟ ପାର୍ଶ୍ୱରେ ଏମିତି ଏକ ବସ୍ତୁ ଥାଏ ଯିଏ ଆପେରେଚର୍ ମଧ୍ୟ ଦେଇ ଆସୁଥିବା ଛବିକୁ ଧରିରଖେ । ଆନାଲଗ୍ କ୍ୟାମେରାରେ ଏହା ଫିଲ୍ମ୍ ହୋଇଥିବା ସ୍ଥଳେ ଡିଜିଟାଲ୍ କ୍ୟାମେରାରେ ଇଲେକ୍ଟ୍ରୋନିକ୍ ସେନ୍ସର୍ ଥାଏ । ସଟର୍ ନାମକ ଅନ୍ୟ ଏକ ଅଂଶ ଛବି ନେବା ପର୍ଯ୍ୟନ୍ତ ଆଲୋକକୁ ରୋକେ ।
ଛବି ନେଲାବେଳେ ସଟର୍ ଆଲୋକକୁ ରାସ୍ତା ଛାଡ଼ିଦିଏ । ଏହାଦ୍ୱାରା ଆଲୋକ ଫିଲ୍ମ୍ ବା ଇଲେକ୍ଟ୍ରୋନିକ୍ ସେନ୍ସର୍ରେ ଛବି ତିଆରି କରେ । ଅନେକ କ୍ୟାମେରାରେ ଆଲୋକର ମାତ୍ରା କମ୍ ବେଶୀ କରିବା ପାଇଁ ଆପେରେଚର୍ ଆକାର ବଦଳାଇ ହୁଏ । ଆଲୋକ ପ୍ରବେଶ ପାଇଁ ସଟର୍ ଖୋଲିବାର ସମୟ ମଧ୍ୟ ବଦଳା ଯାଇପାରେ । ଏହା ମଧ୍ୟ ଆଲୋକର ମାତ୍ରାକୁ କମ୍ ବେଶୀ କରେ । ଅନେକ ସମୟରେ କ୍ୟାମେରାସ୍ଥ ଇଲେକ୍ଟ୍ରୋନିକ୍ ଏ ସବୁ ନିୟନ୍ତ୍ରଣ କରୁଥିବା ବେଳେ ସ୍ଥଳ ବିଶେଷରେ କ୍ୟାମେରା ବ୍ୟବହାରକାରୀ ମଧ୍ୟ ନିୟନ୍ତ୍ରଣ କରେ ।
ଇତିହାସ
ଲାଟିନ ଭାଷା କ୍ୟାମେରା ଅବସ୍କୁରା (ଅନ୍ଧାର କୋଠରୀ)ରୁ କ୍ୟାମେରା ଶବ୍ଦର ଉତ୍ପତ୍ତି। କୌଣସି ଅନ୍ଧାର କୋଠରୀରେ ଗୋଟିଏ ପିନ୍କଣା କରିଲେ କୋଠରୀର ବିପରୀତ ପାର୍ଶ୍ୱରେ ବାହାରର ଏକ ଓଲଟା ପ୍ରତିଛବି ସୃଷ୍ଟି ହୋଇଥାଏ। ଏହି ନିୟମକୁ ଆଧାର କରି କ୍ୟାମେରାର ଯାତ୍ରା ଆଜି ପର୍ଯ୍ୟନ୍ତ୍ ପହଞ୍ଚିଛି। ପ୍ରଥମେ ପ୍ରଥମେ ଚିତ୍ରକୁ ସ୍ଥାୟୀ କରିବା ପାଇଁ ଅନେକ ଗବେଷଣା ପରେ ୧୮୨୬ରେ ହିଁ ସଫଳତା ମିଳିଥିଲା।
ସମ୍ପର୍କିତ ପୃଷ୍ଟା
- ଡିଜିଟାଲ୍ କ୍ୟାମେରା