ହଳଧର ନାଗ

ହଳଧର ନାଗ
ଜନ୍ମ ଓ ଜନ୍ମସ୍ଥାନ (1950-03-31) ୩୧ ମାର୍ଚ୍ଚ ୧୯୫୦ (ବୟସ ୭୪)
ଘେଁସ, ସୋହେଲା ବରଗଡ଼
ଜାତୀୟତାଭାରତୀୟ
ପୁରସ୍କାରପଦ୍ମଶ୍ରୀ
ଜୀବନସାଥୀମାଳତୀ
ସନ୍ତାନନନ୍ଦିନୀ

ଦସ୍ତଖତ

ହଳଧର ନାଗ ଜଣେ ଭାରତୀୟ କୋଶଳୀ-ସମ୍ବଲପୁରୀ-ଭାଷୀ ଲୋକକବି, ଲେଖକ ଓ ରାମକଥା ଗାୟକ । ଜଣେ ଲୋକ କବି ଭାବରେ ସେ ପ୍ରାରମ୍ଭିକ ଜୀବନରେ ଭଜନ, ରସରକେଲି, ଡାଲଖାଇ, ସଜନୀ ଆଦି ପାରମ୍ପରିକ ସମ୍ବଲପୁରୀ ଗୀତ ରଚନା କରିଥିଲେ ଓ ସେସବୁ ସ୍ଥାନୀୟ ଦଣ୍ଡ ନାଟରେ ପରିବେଷଣ କରାଯାଉଥିଲା । ମହାସତୀ ଉର୍ମିଳା, ଆଛିଆ, ତାରା ମନ୍ଦୋଦରୀ, ବଛର, ସିରି ସମଲାଇ, ବୀର ସୁରେନ୍ଦ୍ର ସାଏ, କରମସାଣୀ, ରସିଆ କବି, ପ୍ରେମ ପ୍ରଧାନ ଆଦି ତାଙ୍କର ଉଲ୍ଲେଖନୀୟ ରଚନା । ତାଙ୍କର ସାହିତ୍ୟ ରଚନା ନିମନ୍ତେ ସେ ୨୦୧୪ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୨୦୧୭ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ ପାଇଥିଲେ । ୨୦୧୬ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ ଓ ୨୦୨୦ ମସିହାରେ ତାଙ୍କ ନାମରେ ପଦ୍ମଶ୍ରୀ ହଳଧର ନାଗ ସାଧନା କୁଟୀର ଓ ସଂଗ୍ରହାଳୟ ଉଦ୍‌ଘାଟନ କରିଥିଲେ । ତାଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଡକ୍ଟରେଟ ସମ୍ମାନ ପ୍ରଦାନ କରାଥିଲେ । ତାଙ୍କ ରଚନାବଳୀ ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ ଅନୂଦିତ ହୋଇଛି । ତାଙ୍କ ନାମରେ ଜନ୍ମଭୂମି ବରଗଡ଼ ଜିଲ୍ଲାର ଘେଁସଠାରେ ଏକ କୋଶଳୀ ଭାଷା ଓ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ସ୍ଥାପିତ ହୋଇଥିଲା ।

ବାଲ୍ୟଜୀବନ

ହଳଧର ସାଧନା କୁଟୀର

ହଳଧର ନାଗ ବରଗଡ଼ ଜିଲ୍ଲାର ଘେଁସଠାରେ ୧୯୫୦ ମସିହା ମାର୍ଚ ୩୧ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । [] ମାତା ଗୁରୁବାରୀ ଓ ପିତା ଭଜ ନାଗଙ୍କ ୫ପୁଅ ଓ ୧ଝିଅଙ୍କ ମଧ୍ୟରୁ ସେ ସର୍ବ କନିଷ୍ଠ । ତାଙ୍କ ପିଲାଦିନର ନାମ "କାଲିଆ" । ତାଙ୍କ ଭଜ ବୃତ୍ତିରେ ଦିନମଜୁରିଆ ଥିଲେ । ଆର୍ଥିକ ଅସ୍ୱଚ୍ଛଳତା ହେତୁ ସେ ତୃତୀୟ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ । ହଳଧର ପିଲାବେଳେ ଘେଁସର ପ୍ରାଥମିକ ବିଦ୍ୟାଳୟରେ ଜଣେ ପାଣି ଭାରୁଆ ଭାବେ କାମ କରୁଥିଲେ । ମାତ୍ର ୧୦ବର୍ଷ ବୟସରୁ ସେ ନିଜ ପିତାମାତାଙ୍କୁ ହରାଇ ଗୁଜୁରାଣ ମେଣ୍ଟାଇବା ପାଇଁ ବିଦ୍ୟାଳୟ ହତାରେ ଏକ ତେଜରାତି ଦୋକାନ ଖୋଲିଥିଲେ । ଶିକ୍ଷକମାନେ ପିଲାମାନଙ୍କୁ ପଢାଇବା ସମୟରେ ତାକୁ ଶୁଣି ଓ ମନେରଖି ସେ ନିଜେ ନିଜେ ଅଭ୍ୟାସ କରୁଥିଲେ ।

ସାହିତ୍ୟ ରଚନା

ସେ ନିଜ ମାତୃଭାଷା ସମ୍ବଲପୁରୀରେ ଲୋକ କାହାଣୀ ଲେଖୁଥିଲେ ଓ ପରେ ୧୯୯୦ ମସିହାରେ ସେ ତାଙ୍କର ପ୍ରଥମ କବିତା ଧୋଡ଼ୋ ବରଗଛ୍ ଲେଖିଥିଲେ ।[] ପ୍ରାରମ୍ଭିକ ଜୀବନରେ ସେ ଭଜନ, ରସରକେଲି, ଡାଲଖାଇ, ସଜନୀ ଆଦି ପାରମ୍ପରିକ ସମ୍ବଲପୁରୀ ଗୀତ ରଚନା କରିଥିଲେ । ତାଙ୍କ ରଚିତ ଗୀତ ସ୍ଥାନୀୟ ୧୩ଟି ଗାଁରେ ଦଣ୍ଡ ନାଟରେ ପରିବେଷଣ କରାଯାଉଥିଲା । ନିଜ ଅନୁଭୂତି ଆଧାରରେ ସେ ମହାସତୀ ଉର୍ମିଳା, ରାତି, ଚଏତ୍ର ସକାଲ୍ ଆଏଲା, ଶବରୀ ଆଦି ଲୋକକାବ୍ୟ ରଚନା କରିଛନ୍ତି ଏବଂ ସେସବୁ ହଳଧର ଗ୍ରନ୍ଥାବଳୀ ପ୍ରଥମ ଓ ଦ୍ୱିତୀୟ ଭାଗ ଭାବେ ପ୍ରକାଶିତ ହୋଇଛି । ହଳଧର ଗ୍ରନ୍ଥାବଳୀ ଦ୍ୱିତୀୟ ଭାଗ ସମ୍ବଲପୁର ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରକାଶିତ ହୋଇ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିଲା ।[] ତାଙ୍କର କେତେକ କାବ୍ୟ କିମ୍ବଦନ୍ତୀମୂଳକ । ତାଙ୍କ ନାମରେ ଲୋକ କବି ରତ୍ନ ହଳଧର ସଂସ୍କୃତି ପରିଷଦ, ହଳଧର ସାହିତ୍ୟ ସଂସଦ, ହଳଧର କ୍ଲବ ଓ ଲୋକକବି ହଳଧର ବନବିଦ୍ୟାଳୟ ଆଦି ଅନୁଷ୍ଠାନ ଗଢ଼ି ଉଠିଛି ।[] ୨୦୨୦ ମସିହାରେ ତାଙ୍କ ନାମରେ ଭାରତ ସରକାର ପଦ୍ମଶ୍ରୀ ହଳଧର ନାଗ ସାଧନା କୁଟୀର ଓ ସଂଗ୍ରହାଳୟ ଉଦ୍‌ଘାଟନ କରିଥିଲେ ।

ରଚନାବଳୀ

ଲୋକକାବ୍ୟ

  • ରାତି
  • ଚଏତ୍ର ସକାଲ୍ ଆଏଲା
  • ଶବରୀ
  • ମାଁ
  • ଅଛିଆ
  • ବଛର୍
  • ମହାସତୀ ଉର୍ମିଳା
  • ରସିଆ କବି
  • ସତିଆ ବିହା
  • ଗୁଆଲ ତୀର୍ଥ
  • ତପଚାରୀ ବାବା
  • ହଲଧର ଧାମ
  • ତାରା ମନ୍ଦୋଦରୀ
  • ଶିରୀ ସମଲାଇ
  • ଲକ୍ଷ୍ମୀପୁରାଣ
  • ପ୍ରେମ୍ ପଏଚନ
  • ବୀର୍ ସୁରେନ୍ଦ୍ର ସାଇ
  • ସନ୍ଥ କବି ଭୀମଭୋଇ
  • ଋଷି କବି ଗଙ୍ଗାଧର
  • ଭାବ୍
  • ସୁରୁତ୍
  • ଭାବ ସୁରୁତ୍
  • ହଳଧର ଗ୍ରନ୍ଥାବଳୀ (୧ୟ ଭାଗ)
  • ହଳଧର ଗ୍ରନ୍ଥାବଳୀ (୨ୟ ଭାଗ)

ସମ୍ମାନ ଓ ପୁରସ୍କାର

ତାଙ୍କ ସାହିତ୍ୟ ରଚନା ନିମନ୍ତେ ସେ ପ୍ରାୟ ୩୩୦ରୁ ଉର୍ଦ୍ଧ୍ୱ ଅନୁଷ୍ଠାନଦ୍ୱାରା ପୁରସ୍କୃତ ହୋଇଛନ୍ତି ।[] ୨୦୧୬ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ ।[] ଏହା ଛଡ଼ା ସେ ୨୦୧୭ ମସିହାରେ ପ୍ରଫୁଲ୍ଲ ତ୍ରିପାଠୀଙ୍କ ସହ ମିଳିତ ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ - ପାଇଥିଲେ ।[][] ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରଦତ୍ତ ବ୍ରହ୍ମପୁତ୍ର ସମ୍ମାନ ଓ ୨୦୧୪ର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଆଦି ମଧ୍ୟ ପାଇଛନ୍ତି । ସେ "ଲୋକ କବିରତ୍ନ", "କୋଶଳ କୁଇଲି", "ଯାଦବ କୁଳ ଗୌରବ", "କୋଶଳ ରତ୍ନ" ଓ "ଯାଦବ ରତ୍ନ" ଆଦି ଉପାଧିରେ ଭୂଷିତ ।[]

ଆଧାର